ଜାତୀୟ ପେନସନ ପ୍ରଣାଳୀ ସରଳ ହେଲା

0 189

ନୂଆଦିଲ୍ଲୀ . – ୬ ଡିସେମ୍ବର, ୨୦୧୮ରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ପେନସନ ପ୍ରଣାଳୀ (ଏନପିଏସ)କୁ ସରଳ କରିବା ଲାଗି ନିମ୍ନଲିଖିତ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଏନପିଏସ ଟିୟର-୧ରେ ଆସୁଥିବା କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ଅଂଶଧନ ବର୍ତ୍ତମାନର ୧୦ ପ୍ରତିଶତରୁ ବୃଦ୍ଧି କରାଯାଇ ୧୪ ପ୍ରତିଶତ କରିଦିଆଯାଇଛି ।
କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ପେନସନ ଫଣ୍ଡ ଏବଂ ନିବେଶର ପଦ୍ଧତି ଚୟନ କରିବାର ସ୍ୱାଧୀନତା ଦିଆଯାଇଛି ।
୨୦୦୪ରୁ ୨୦୧୨ ବର୍ଷ ପର୍ୟ୍ୟନ୍ତ ଏନପିଏସର ଅଂଶଦାନ ନକରିବା କିମ୍ବା ଏଥିରେ ବିଳମ୍ବ ହେଲେ କ୍ଷତିପୂରଣ ଦିଆଯିବ ।
ଏନପିଏସରୁ ବାହାରିଲେ ମିଳୁଥିବା ଅର୍ଥରାଶି ଉପରେ ଟିକସ ଛାଡ଼ ସୀମା ବୃଦ୍ଧି କରାଯାଇ ୬୦ ପ୍ରତିଶତ କରି ଦିଆଯାଇଛି । ଏଥିସହିତ ମୋଟ ଉଠାଣ ରାଶି ଏବେ ଆୟକରରୁ ମୁକ୍ତ ହୋଇଯିବ । (ବର୍ତ୍ତମାନ ବାର୍ଷିକୀର କ୍ରୟ ଲାଗି ବ୍ୟବହୃତ ହେଉଥିବା ମୋଟ ସଂଚିତ ରାଶିର ୪୦ ପ୍ରତିଶତ ଟିକସ ମୁକ୍ତ ଅଟେ । ଅବସର ସମୟରେ ଏନପିଏସର ସଦସ୍ୟମାନଙ୍କ ଦ୍ୱାରା ଉଠାଯାଉଥିବା ସଂଚିତ ଅର୍ଥରାଶିର ୬୦ ପ୍ରତିଶତ ମଧ୍ୟରୁ ୪୦ ପ୍ରତିଶତ ଟିକସ ମୁକ୍ତ ଅଟେ, ଅବଶିଷ୍ଟ ୨୦ ପ୍ରତିଶତ ରାଶି ଟିକସ ଯୋଗ୍ୟ ଅଟେ ।)
ଏନପିଏସର ଟିୟର-୨ ଅନ୍ତର୍ଗତ ସରକାରୀ କର୍ମଚାରୀଙ୍କ ଦ୍ୱାରା କରାଯାଉଥିବା ଅଂଶଦାନ ଏବେ ଆୟକର ଦୃଷ୍ଟିର ୧.୫୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଛାଡ଼ ଲାଗି ଧାରା ୮୦ ସି ଅନ୍ତର୍ଗତ କଭର ହେବ । ଏହା ଅନ୍ୟ ଯୋଜନା ଯେପରିକି ସାଧାରଣ ଭବିଷ୍ୟନିଧି, ଯୋଗଦାନକାରୀ ଭବିଷ୍ୟନିଧି, କର୍ମଚାରୀ ଭବିଷ୍ୟନିଧି ଏବଂ ସାର୍ବଜନୀନ ଭବିଷ୍ୟନିଧିର ସମତୁଲ୍ୟ, କିନ୍ତୁ ସର୍ତ୍ତ ରହିଛି ଯେ ଏଥିରେ ତିନି ବର୍ଷର ଲକ-ଇନ ଅବଧି ରହିଥିବ ।
ପୃଷ୍ଠଭୂମି

୧ ଜାନୁଆରୀ, ୨୦୦୪ କିମ୍ବା ଏହାପରେ କେନ୍ଦ୍ର ସରକାରଙ୍କ ସେବା ସହ ଯୋଡ଼ି ହେଉଥିବା ନୂତନ କର୍ମଚାରୀମାନଙ୍କୁ ଜାତୀୟ ପେନସନ ପ୍ରଣାଳୀ (ଏନପିଏସ) ଅନ୍ତର୍ଗତ କଭର କରାଯାଇଥାଏ । ସପ୍ତମ ବେତନ ଆୟୋଗ ୨୦୧୫ରେ ବିଚାରବିମର୍ଷ କାଳରେ ଏନପିଏସ ସହ ଜଡ଼ିତ ସ୍ୱତନ୍ତ୍ର ବିଷୟ ଉପରେ ଦୃଷ୍ଟି ଦେଇଥିଲେ ଏବଂ ସୁପାରିସ କରିଥିଲେ । ସପ୍ତମ ବେତନ ଆୟୋଗ ଏ ସମ୍ପର୍କରେ ସଚିବମାନଙ୍କର ଏକ ସମିତି ଗଠନ କରିବା ଲାଗି ସୁପାରିସ କରିଥିଲେ । ତଦନୁଯାୟୀ, ସରକାରଙ୍କ ଦ୍ୱାରା ୨୦୧୬ ବର୍ଷରେ ସଚିବମାନଙ୍କ ଏକ ସମିତି ଗଠନ କରାଯାଇଥିଲା ଯାହାକୁ ଏନପିଏସର କାର୍ୟ୍ୟାନ୍ୱୟନ ସରଳ କରିବା ଲାଗି ବିଭିନ୍ନ ଉପାୟ ପରାମର୍ଶ ଦେବା ଲାଗି ଦାୟିତ୍ୱ ଅର୍ପଣ କରାଯାଇଥିଲା । ସମିତି ୨୦୧୮ରେ ନିଜ ରିପୋର୍ଟ ଉପସ୍ଥାପନ କରିଥିଲେ । ତଦନୁଯାୟୀ, ସମିତିର ସୁପାରିସ ଆଧାରେ ଡ୍ରାଫ୍ଟ କ୍ୟାବିନେଟ ନୋଟକୁ ମଞ୍ଜୁରି ନିମନ୍ତେ କ୍ୟାବିନେଟଙ୍କ ବିଚାର ଲାଗି ଉପସ୍ଥାପନ କରାଯାଇଥିଲା ।

କାର୍ୟ୍ୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ :

ଅନ୍ୟ ସମ୍ପୃକ୍ତ ମନ୍ତ୍ରଣାଳୟ/ବିଭାଗଠାରୁ ବିଚାର-ବିମର୍ଷ କରାଯିବା ପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ପରେ ଏନପିଏସରେ ପ୍ରସ୍ତାବିତ ପରିବର୍ତ୍ତନକୁ ତତକ୍ଷଣାତ ଲାଗୁ କରିଦିଆଯିବ ।

ପ୍ରମୁଖ ପ୍ରଭାବ

ଏନପିଏସର ପରିଧିରେ ଆସୁଥିବା କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀମାନଙ୍କ ଅନ୍ତିମ ସଂଚିତ ରାଶି ବୃଦ୍ଧି ପାଇବ ।
କର୍ମଚାରୀଙ୍କ ଉପରେ କୌଣସି ଅତିରିକ୍ତ ବୋଝ ନପଡ଼ି ଅବସର ପରେ ସେମାନଙ୍କୁ ମିଳୁଥିବା ପେନସନ ରାଶି ବୃଦ୍ଧି ହେବ ।
କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ପେନସନ ଫଣ୍ଡ ଏବଂ ନିବେଶ ପଦ୍ଧତି କିମ୍ବା ରୂପରେଖ ଚୟନ କରିବାର ସ୍ୱାଧୀନତା ମିଳିବ
ଏନପିଏସର ପରିଧି ମଧ୍ୟରେ ଆସୁଥିବା କେନ୍ଦ୍ର ସରକାରଙ୍କ ପାଖାପାଖି ୧୮ ଲକ୍ଷ କର୍ମଚାରୀ ଲାଭାନ୍ୱିତ ହେବେ ।
ଜୀବନ ପ୍ରତ୍ୟାଶା ବୃଦ୍ଧି ପାଇବାର ସ୍ଥିତିରେ ବୃଦ୍ଧାବସ୍ଥାରେ ସୁରକ୍ଷା ବଢ଼ିଯିବ ।
ଏନପିଏସକୁ ଆହୁରି ଅଧିକ ଆକର୍ଷକ କରାଯିବା ଦ୍ୱାରା ସରକାରଙ୍କୁ ସର୍ବୋତ୍ତମ ପ୍ରତିଭାମାନଙ୍କୁ ଆକର୍ଷିତ କରିବା ଏବଂ ସେମାନଙ୍କୁ ସେବାରେ ବଜାୟ ରଖିବା ସହଜ ହେବ ।
ବ୍ୟୟ ଭାର

ଏହି କାରଣରୁ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜକୋଷ ଉପରେ ପାଖାପାଖି ୨୮୪୦ କୋଟି ଟଙ୍କାର ବୋଝ ପଡ଼ିବ ବୋଲି ଆକଳନ କରାଯାଇଛି, ଏହା ଏକ ପୌନଃପୁନିକ ବ୍ୟୟ ରୂପରେ ହେବ । ୨୦୦୪ ରୁ ୨୦୧୨ ମଧ୍ୟରେ ଏନପିଏସରେ ଯୋଗଦାନ ନକରିବା କିମ୍ବା ଏଥିରେ ବିଳମ୍ବ ହେବାରେ କ୍ଷତିପୂରଣ ଦିଆଯିବାର ବ୍ୟବସ୍ଥା କାରଣରୁ ଯେଉଁ ଆର୍ଥିକ ବୋଝ ପଡ଼ିବ ତାହା ଏହି ରାଶି ଠାରୁ ଭିନ୍ନ ହେବ ।

ଲାଭାର୍ଥୀମାନଙ୍କ ସଂଖ୍ୟା

ରାଷ୍ଟ୍ରୀୟ ପେନସନ ପ୍ରଣାଳୀକୁ ସହଜ କରିବା ଲାଗି ଏନପିଏସର ପରିଧିରେ ଆସୁଥିବା କେନ୍ଦ୍ର ସରକାରଙ୍କ ପାଖାପାଖି ୧୮ ଲକ୍ଷ କର୍ମଚାରୀ ଲାଭାନ୍ୱିତ ହେବେ ।

ପରିଧିରେ ଆସୁଥିବା ରାଜ୍ୟ/ଜିଲ୍ଲା :

ସାରା ଭାରତ

ପୂର୍ବରୁ କାର୍ୟ୍ୟକାରୀ ହେଉଥିବା ଯୋଜନା, ଯଦି କିଛି ରହିଛି, ତାର ବିବରଣୀ ଏବଂ ଅଗ୍ରଗତି ବର୍ତ୍ତମାନ ଏପରି ସ୍ଥିତି ରହିଛି ଯେ ୧ ଜାନୁଆରୀ ୨୦୦୪ରେ କିମ୍ବା ଏହା ପରେ କେନ୍ଦ୍ର ସରକାରଙ୍କ ସେବା ସହ ଜଡ଼ିତ ନୂଆ କର୍ମଚାରୀମାନଙ୍କୁ ଜାତୀୟ ପେନସନ ପ୍ରଣାଳୀ (ଏନପିଏସ) ଅଧୀନରେ କଭର କରାଯାଉଛି । ଦେଶରେ ଏନପିଏସର କାର୍ୟ୍ୟାନ୍ୱୟନ ଏବଂ ନିୟମ ପ୍ରଣୟନ ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ଦ୍ୱାରା କରାଯାଉଛି ।

Leave A Reply

Your email address will not be published.