ପାରମ୍ପରିକ ବିଧିରେ ବିନା ଭକ୍ତରେ ରଥଯାତ୍ରା ସମ୍ପାଦିତ

0 1,793

ରୀ – ପାରମ୍ପରିକ ବିଧିବିଧାନ ଅନୁପାଳନ କରି ଶେଷରେ ପୁରୀ ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମତେ ଚଳିତବର୍ଷ କରୋନା କଟକଣା ମଧ୍ୟରେ ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନ ୫ଟା ୧୦ସୁଦ୍ଧା ତିନିରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ôଚଛନ୍ତି । ଆଜି ସଅଳ ନୀତିକାନ୍ତି ସହ ଶ୍ରୀଜୀଉମାନେ ରଥାରୁଢ ହୋଇଥିଲେ । ଭୋର ୪ଟାରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି, ରୋଷହୋମ, ଅବକାଶ,ସୂର୍ଯ୍ୟପୂଜା,ଦ୍ୱାରପାଳ ପୂଜା ଓ ବେଶ ଶେଷ ହେବାପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ହୋଇ ରଥ ପ୍ରତିଷ୍ଠା ହୋଇଥିଲା । ଏହାପରେ ମଙ୍ଗଳାର୍ପଣ ହୋଇ ପ୍ରଥମେ ଶ୍ରୀବଳଭଦ୍ର ପରେ ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥଙ୍କୁ ଧାଡି ପହଣ୍ଡିରେ ନିଆଯାଇ ପୂର୍ବାହ୍ନ ୧୦ଟା ପୂର୍ବରୁ ରଥାରୁଢ କରାଯାଇଥିଲା । ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ତିନି ଠାକୁରଙ୍କୁ ରଥ ଉପରେ ଦର୍ଶନ କରିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଳଧ୍ୱଜ, ଦେବଦଳନ ଏବଂ ନନ୍ଦୀଘୋଷ ରଥରେ ଛେରାପହଁରା କରିଥିଲେ।

ଏହାପରେ ଅନ୍ୟାନ୍ୟ ନୀତି ହୋଇ ରଥରୁ ଚାରମାଳ ଫିଟାଯାଇ ଘୋଡା ଓ ସାରଥୀ ଆଦି ଲଗା ଯିବା ପରେ ଦିନ ପ୍ରାୟ ସାଢ୍ନେ ୧୨ଟା ବେଳକୁ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ, ତାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇଥିଲା । ବଡଦାଣ୍ଡରେ ରଥଟଣା ନେଇ ସୁପ୍ରିମ୍‍କୋର୍ଟଙ୍କ ଆଦେଶକୁ ମାନି ପ୍ରତି ରଥକୁ ୫୦୦ଜଣ ସେବକ ବିନା ଚପଲରେ ସାମାଜିକ ଦୂରତା ରକ୍ଷା କରି ଟାଣି ଥିଲେ। ଏଥିଲାଗି ପୂର୍ବରୁ ଦମକଳ ବାହିନୀ ପକ୍ଷରୁ ବଡଦାଣ୍ଡରେ ପାଣି ପକାଯାଇ ରାସ୍ତାକୁ ଶୀତଳୀକରଣ କରାଯାଇଥିଲା ।

ତେବେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଆଜି ଶୃଙ୍ଖଳାର ସହ ଠିକ୍‍ ସମୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ବିଶେଷକରି ସେବାୟତ, ପୁରୀ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ପୁରୀର ଜନସାଧାରଣଙ୍କୁ ସେମାନଙ୍କର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.