ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ସ୍ନାନଯାତ୍ରା ଅନୁଷ୍ଠିତ

0 2,174

ପୁରୀ – କରୋନା କଟକଣା ଯୋଗୁଁ ଶହ ଶହ ବର୍ଷର ରେକର୍ଡ ଭଙ୍ଗ କରି ବିନାଭକ୍ତରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରସିଦ୍ଧ ସ୍ନାନଯାତ୍ରା ଉତ୍ସବ ପାଳିତ ହେଉଛି । ପୂର୍ବ ପ୍ରସ୍ତୁତ ନୀତି ନିର୍ଘଣ୍ଟ ଅନୁଯାୟୀ ଗତକାଲି ରାତି ପ୍ରାୟ ଗୋଟାଏରୁ ଧାଡ଼ି ପହଣ୍ଡିରେ ଆରମ୍ଭ କରି ରତ୍ନସିଂହାସନରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସକାଳ ୫ଟା ସୁଦ୍ଧା ସ୍ନାନ ମଣ୍ଡପ ଉପରେ ବିଜେ କରାଯାଇଛି । ସେଠାରେ ଅନ୍ୟାନ୍ୟ କେତେକ ନୀତିକାନ୍ତି ଶେଷ ହେବାପରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯିବା ଲାଗି ପ୍ରସ୍ତୁତି ଚାଲିଛି ।

ଏହାପରେ ଛେରାପହଁରା ନୀତି କରାଯାଇ ମଧ୍ୟାହ୍ନରେ ହାତୀବେଶ ଅନୁଷ୍ଠିତ ହେବ । ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଲାଗି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସମେତ ସହରର ବିଭିନ୍ନ ସ୍ଥାନରେ ୩୮ ପ୍ଲାଟୁନ୍‍ ପୋଲିସ ଫୋର୍ସକୁ ମୂତୟନ କରାଯାଇଛି । ସୀମିତ ସଂଖ୍ୟକ ସେବକଙ୍କୁ ନେଇ ପ୍ରଶାସନ ପକ୍ଷରୁ ଏବର୍ଷ ସ୍ନାନଯାତ୍ରା କରାଯାଉଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସମ୍ମୁଖ ଓ ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରୀ କରାଯାଇଛି । ଆସନ୍ତାକାଲି ଦିନ ୨ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।

Leave A Reply

Your email address will not be published.