କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆ ଦାୟିତ୍ୱ

0

କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି । ସେହିଭଳି ଓଡ଼ିଶାରୁ ରାଜ୍ୟସଭା ସାଂସଦ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି । ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ତାଙ୍କୁ ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ କରାଯାଇଛି ।


ମିଳିଥିବା ସୂଚନା ଅନୁସାରେ ଅନୁରାଗ ଠାକୁରଙ୍କୁ ସୂଚନା ଓ ପ୍ରସାରଣ, ଯୁବ ଓ କ୍ରୀଡ଼ା ବିଭାଗର ଦାୟିତ୍ୱ ଦିଆଯାଇଛି । ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଗତକାଲି ୪୩ଜଣ ଶପଥପାଠ କରିଥିଲେ । ସେଥିମଧ୍ୟରୁ ୧୫ଜଣଙ୍କୁ କ୍ୟାବିନେଟ୍‍ ଏବଂ ୨୮ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି ।

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଅଶ୍ୱିନୀ ବୈଷ୍ଣବ ଏବଂ ବିଶେଶ୍ୱର ଟୁଡୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଶ୍ରୀ ବୈଷ୍ଣବ ତାଙ୍କର ପ୍ରଶାସନ ଓ ଶିଳ୍ପ କ୍ଷେତ୍ରରେ ଥିବା ବ୍ୟାପକ ଅଭିଜ୍ଞତାକୁ ପାଥେୟ କରି ଜନତାଙ୍କ ସେବା କରିବେ ବୋଲି ଆଶା । ସେହିଭଳି ସାଧାରଣ ଜୀବନରେ ଶ୍ରୀ ଟୁଡୁଙ୍କ ଅଭିଜ୍ଞତା ତାଙ୍କୁ ରାଷ୍ଟ୍ର ସେବା କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି ।


କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଦୁଇଜଣ ସାଂସଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟ୍‍ କରି କହିଛନ୍ତି ଏହି ନିଯୁକ୍ତି ଜାତୀୟ ସ୍ତରରେ ଓଡ଼ିଶାର ସ୍ୱରକୁ ଦୃଢ଼ କରିବ । କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଲଗାତାର ଭାବେ ଓଡ଼ିଶାର ପ୍ରତିନିଧିତ୍ୱକୁ ଦୃଢ଼ କରିଥିବାରୁ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.