ରାଜ୍ୟରେ ଏଣିକି ସବୁ ଚାଷୀମାନଙ୍କୁ କୃଷକ ପରିଚୟ ପତ୍ର ଦିଆଯିବ, ଯାହାଦ୍ୱାରା ଚାଷୀମାନେ ସହଜରେ ବିଭିନ୍ନ ସରକାରୀ ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ୫ଟି କାର୍ଯ୍ୟକ୍ରମ ଅଧୀନରେ ମୁଖ୍ୟମନ୍ତ୍ରୀ ଗତକାଲି କୃଷକ, କୃଷି କର୍ମଚାରୀ ମାନଙ୍କ ପାଇଁ କୃଷକ ଡାଟାବେସ୍, କୃଷି ସାମଗ୍ରୀ ବିକ୍ରେତା ମାନଙ୍କ ପାଇଁ ଅନ୍ଲାଇନ୍ ଲାଇସେନ୍ସ ପ୍ରଦାନ, ଦକ୍ଷ କର୍ମଚାରୀମାନଙ୍କ ପାଇଁ ପ୍ରୋତ୍ସାହନ ଆଦି ବିଭିନ୍ନ ଅନ୍ଲାଇନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ୬୭ ଲକ୍ଷ ଚାଷୀମାନଙ୍କୁ ନେଇ
ଏକ କୃଷକ ଡାଟାବେସ୍ ପ୍ରସ୍ତୁତ କରାଯିବା ବହୁତ ଭଲ ଉଦ୍ୟମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୧୦୦ ଦିନ ମଧ୍ୟରେ ଏହି ଡାଟାବେସ୍ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇ କୃଷକମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ । ସେହିପରି କୃଷି ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କ ପାଇଁ ଦକ୍ଷତା କାର୍ଯ୍ୟକ୍ରମ ବିଭାଗକୁ ଚାଷୀମାନଙ୍କ ସହିତ ସିଧାସଳଖ ଯୋଡିବା ସହଜ ହେବ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍ଲାଇନ୍ ସାର୍ଟିଫିକେଟ୍ ଓ ମାର୍କସିଟ୍ ଆଦି ୯ଟି ସେବା କାର୍ଯ୍ୟକ୍ରମର ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ।
୫ଟି କାର୍ଯ୍ୟକ୍ରମକୁ କୃଷି ବିଭାଗ ନିଷ୍ଠାର ସହ ପାଳନ କରୁଛି ବୋଲି ଏହି ଅବସରରେ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ କହିଥିଲେ । ବିଭାଗୀୟ ସଚିବ ସୌରଭ ଗର୍ଗଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।