କଟକ ୦୪।୦୧ – ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଅବସର ଗ୍ରହଣ କରିଛନ୍ତି। ତେବେ ଜାନୁଆରୀ ୪ ତାରିଖ ଶନିବାର କୋର୍ଟ କାର୍ଯ୍ୟ ଦିବସ ନ ଥିବାରୁ ଗତକାଲି ବିଦାୟକାଳୀନ ସମ୍ବର୍ଦ୍ଧନା କରାଯାଇଥିଲା। ହାଇକୋର୍ଟ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଓଡିଶା ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସମେତ ଗୁଜରାଟ ହାଇକୋର୍ଟର ୪ଜଣ ବିଚାରପତି ଉପସ୍ଥିତ ଥିଲେ। ଜଷ୍ଟିସ ଜାଭେରୀ ୨୦୧୮ ଅଗଷ୍ଟ ୧୨ତାରିଖରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇ କାର୍ଯ୍ୟଭାର ଗ୍ରହଣ କରିଥିଲେ।
ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପ୍ରାୟ ୧୬ମାସ କାର୍ଯ୍ୟ କରିବା ସହ ଅବସର ଗ୍ରହଣ କରିଛନ୍ତି। ବିଧି ଅନୁସାରେ ଓଡିଶା ହାଇକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ କୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଭାବେ ନିଯୁକ୍ତି ମିଳିଛି।