ରଜର ସମ୍ପୂର୍ଣ୍ଣ ପାରମ୍ପରିକ ଗୀତ, ଜାଣନ୍ତୁ କଅଣ

0 3,040

“ ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ଲୋ
ଘେନି ନୂଆ ସଜବାଜ ॥

ରଜ ଦୋଳି କଟ କଟ,
ମୋ ଭାଇ ମଥାରେ ସୁନା-ମୁକୁଟ,
ସୁନା ମୁକୁଟ ଲୋ
ଦିଶୁଥାଏ ଝଟମଟ ॥ ”
“ ପାନ ଖିଆ ରସିକ ପାଟି,
ଖୋଜି ବୁଲୁଥିଲା ରାଜାଙ୍କ ହାତୀ,
ଢାଳି ଦେଇଗଲା ଶିରରେ,
ରାଜା ହୋଇଗଲେ ରଜରେ ॥ ”
ରଜଦୋଳି ଗୀତ:

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ ।
ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା ।
ଉଡ଼ିଲା ଶୁଆ ନାହାକା, ଦୋଳିଟା କାହିଁକି ଲାଗୁଛି ଏକା ଲୋ, କାହା ବିନା ଏକା ଏକା ।
ପାଚିଲା ଭଇଁଚ କୋଳି, ବେକରେ ନାଇଚି ଗଜରା ମାଳି ଲୋ, ଝୁଲାଅ ରଜର ଦୋଳି ।
ପଣସ ପାଚିଲା ବନେ, ବନ ପୋଡ଼ିଗଲେ ଦୁନିଆ ଜାଣେ ଲୋ, ମନକଥା କିଏ ଜାଣେ ।
ଶଙ୍ଖ ମଲମଲ ଗିନା, ଦରଦ ଜାଣେଲୋ ଦରଦୀ ସିନା ଲୋ, ବଣିଆ ଚିହ୍ନେଟି ସୁନା ।
ନିମ୍ବର ବୁକେ ଚନ୍ଦନ, ଦେବତା ଗଢ଼ାଇଲା ନାରୀ ଜୀବନ ଲୋ, ଦେଲା ତହିଁ ଯଉବନ ।
ଢମଣା ଛାଡ଼ିଲା କାତି, ପୁରୁଷ ସିନାଲୋ ଭ୍ରମର ଜାତି ଲୋ, ନୂଆ ଖୋଜୁଥାନ୍ତି ନିତି ।
ଚାନ୍ଦରେ କଳଙ୍କ ଚିହ୍ନ, ନବ ଯଉବନି କିଆଁ ଗୁମାନ ଲୋ, ଆସିଲେଣି ଜୀବ ଧନ ।
ପୋଖରୀ ତୁଠ ପଥର, ତତେ ଦେଖିଥିଲି ବାଲି ବନ୍ଧରେ ଲୋ, ଆଖି ଥିଲା ଏଣେ ତୋର ।
ସାହାଡ଼ା ଗଛର ଛାଇ, ସେଦିନ କଥାକି ତୋ ମନେ ନାଇଁ ଲୋ, ଏତେ ଆନମନା କାହିଁପାଇଁ ।
ଖୋସାରେ ଖୋସିଲି ଫୁଲ, କେତେ ଦେଖାଉଛୁ ନୁଖୁରା ଗେଲରେ, ଭାଙ୍ଗି ଦେବି ତୋର ଗାଲ ।
ନଈର ଶୁଖିଲା ବାଲି, କେତେ ଫୁଲି ହେଉ ପୁଚୁକିଗାଲି ଲୋ, ଦେଖାଉଛୁ କେତେ ବେଲି ।
ବାଜିଲା ତେଲିଙ୍ଗି ବାଜା, ରସିକ ଯେ ଜାଣେ ସ୍ନେହର ମଜା ରେ, ସେ ସିନା ମୋମନ ରଜା ।
ଲୁଚିଗଲା ମେଘେ ଚାନ୍ଦ, ଦୋଳି କଟକଟ କରେ ଶବଦ ଲୋ, ବହନ୍ତେ ପବନ ମନ୍ଦ ।
ଦୋଳି ହୁଏ ରଟରଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ, ଦିଶୁଥାଏ ଝଟଝଟ ।
ପରବତେ ଜଳେ ନିଆଁ, ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ, ପୁଣି ହେବ ବାଆଁ ଡାଁ ।
ଉତୁରି ପଡ଼ିଲା ଦୁଧ, ଉଙ୍କି ମାରି ମାରି ଅନାଉ ଥାଏ ଲୋ, ନନ୍ଦର ଉଦିଆ ଚାନ୍ଦ ।
ଛତରା ବଜାର ହାଟ, ଛକି ବସିଥିବ ଚଗଲା କାହ୍ନୁଲୋ, ଛନ୍ଦରେ ମାଗିବ ଘାଟ ।
ଥୋଡ଼ମଞ୍ଜା କଲି ରାଇ, କଣ ନ କଲେ କଳା କହ୍ନାଇ ଲୋ, ମୁହଁକୁ ଯା ନ ଅନାଇ ।
କରମଙ୍ଗା କଲି ରାଇ, ମଥୁରାକୁ ଗଲେ କଳା କହ୍ନାଇ ଲୋ, କଣ୍ଟ ଦେଇ ଗଲେ କାହିଁ ।
ସାଉଁଟିଲି ବିଲ ଘଷି, କିମ୍ପାଇଁ ରାଧିକା ବସିଲା ରୁଷି ଲୋ, ଫୁଲ ଶେଜ ହେଲା ବାସି ।
କଟକଟ ହୁଏ ଦୋଳି, ଭାଉଜଙ୍କ ମନ ଯାଇଛି ଜଳି ଲୋ, ଭାଇ ବିଦେଷୁ ନଇଁଲେ ବୋଲି ।
ଗରଜେ କଳା ବଉଦ, ମୋତେ ତ ବରଷ ହେଲା ଚଉଦ ଲୋ, ଗଲାଣି ପିଲା ସୁଆଦ ।
ବଇଁଶୀ ବାଜିଲା କୁଞ୍ଜେ, ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ, ଛୋଟ କଲେ ଛାଟ ବାଜେ ।
ଲାଞ୍ଜ ଟେକିଗଲା ବାଘ, ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ, ଲାଗିବ ନାହିଁଟି ଦାଗ ।
ଛତୁ ଫୁଟେ ବରଷାରେ, ଛତରାଟା କେତେ ଛଇ ଦେଖାଉ ରେ, ଅଛି କି ତୋ ଭରଷାରେ ।
କରଡ଼ି ଖସିଲା ଆମ୍ବ, ପର କାହୁଁ ଘର ପରାଣୀ ହେବେ ରେ, ମନ ଜାଣି ଖଞ୍ଜି ଦେବ ।
ବିରାଡ଼ି ଛିଙ୍କିଲା ବଣେ, ଆଗରେ ଯାଉଛି ନାଗର ଜଣେ ଲୋ, ମୁଣ୍ଡି ଝାଡୁ ଖାଲି ପଣେ ।
ଅଦିନେ ପଣସ ସିଠା, ବଚନରେ ଯାର ନଥଏ ମିଠା ଲୋ, ସେଟା ବାଡ଼ ପକା କଣ୍ଟା ।
ପାହାନ୍ତି ରାବିଲେ ପେଚା, ଯିଏ ହୋଇଥିବ ସିଂହର ବଚା ଲୋ, ନ ଦେବ ପଛଘୁଞ୍ଚା ।
ମଇଁଷି ଶିଙ୍ଗରେ ଖସା, ମଉସା ପୁଆଟା ଏଡ଼େ ସହସା ଲୋ, ମତେ କଲା ଲୋକହସା ।
ଜାରା ମାରିଦେଲା ବାଣ ଯାହାଠାରେ ଯାର ମିଶିଛି ମନ ଲୋ, ସେହି ଜାଣେ ତାର ଗୁଣ ।
କାଟି ଗଲି କଳାଦୁବ, ଝିଅ ଜନମରେ ଏତିକି ଲାଭ ଲୋ, ବନ୍ଧୁ ଘର ଅରଜିବ ।
କାଳୀଗାଇ ଧୁଧ କ୍ଷୀରି, ନୂଆ ପୀରତିରେ ମଉଜ ଭାରି ଗୋ, ପୁରୁଣାଟି ନିମ୍ବ ପରି ।
ଆମ୍ବ ପତ୍ର ଗହଳିଆ, ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆଲୋ, ତୋଫା ହେବଟି ଧୁଳିଆ ।
ଥିରି ଥିରି ଚାଲେ ହାତୀ, ଥୟ ନ ହେଉଛି କିମ୍ପା ଏ ଛାତି ଲୋ, ଥକା ଦୋଳି ହେଲା ରାତି ।

Leave A Reply

Your email address will not be published.