ରାଜ୍ୟ ବିଜେପିରେ ଟିକେଟ ବଣ୍ଟନକୁ ନେଇ ସଂଘ କ୍ଷୁବ୍ଧ!

0 1,161

ଭୁବନେଶ୍ବର : ଓଡ଼ିଶାରେ ଏବେ ନିର୍ବାଚନ ଋତୁ ଆରମ୍ଭ ହୋଇଗଲାଣି । ଏବେ ଚାଲିଛି ନିର୍ବାଚନ ଋତୁର ପ୍ରଥମ ସୋପାନ ଟିକେଟ ବଣ୍ଟନ ପର୍ବ । ପ୍ରାୟ ସବୁ ପ୍ରମୁଖ ଦଳରେ ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । କିନ୍ତୁ ବିଜେପିରେ ଏହି ଅସନ୍ତୋଷ ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । କାରଣ ଟିକେଟ୍ ବଣ୍ଟନକୁ ନେଇ କେବଳ ନିରାଶ ପ୍ରାର୍ଥୀ ନୁହେଁ, ଖୋଦ ବିଜେପିର ଅଭିଭାବକ କୁହାଯ଼ାଉଥିବା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ଏସ୍)ରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି । ଏହାର କାରଣ ହେଉଛି ସଂଘର କେତେକ ପୁରୁଣା ତଥା ଭରଷାଯ଼ୋଗ୍ୟ ସ୍ବୟଂସେବକ ଟିକେଟ ନପାଇବାରୁ ଦଳ ଛାଡିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଗତ ୩୦ ବର୍ଷ ଧରି ସଂଘରେ ଥିବା ସୁବାସ ଚୌହାନ, ଯିଏକି ଟିକେଟ ନ ପାଇବାରୁ ଅସନ୍ତୁଷ୍ଟ ହୋଇ ଗତକାଲି ବିଜେଡ଼ିରେ ଯୋଗଦେଇଛନ୍ତି । ବରଗଡ ଲୋକସଭା ଆସନରୁ ଗତ ୨୦୧୪ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀଙ୍କଠାରୁ ମାତ୍ର ୧୧,୧୭୮ ଭୋଟରେ ହାରିଥିବା ସୁବାସଙ୍କୁ ଏଥର ବଦଳାଯ଼ାଇ ତାଙ୍କ ସ୍ଥାନରେ ସୁରେଶ ପୁଜାରୀଙ୍କୁ ଦିଆଯ଼ାଇଛି ।

ସେହିପରି ସଂଘର ଆଉ ଜଣେ ପୁରୁଣା ସଦସ୍ୟ ଦେବାନନ୍ଦ ମହାପାତ୍ରଙ୍କୁ ବିଜେପି ନିରାଶ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ହିଂଜିଳିରୁ ୨୦୦୦ ମସିହାରୁ ନିୟମିତଭାବେ ଲଢିଆସୁଥିବା ଦେବାନନ୍ଦଙ୍କ ବଦଳରେ ଏଥର ପିତାମ୍ବର ଆଚାର୍ୟ଼୍ୟଙ୍କୁ ଟିକେଟ ଦିଆଯ଼ାଇଛି । କେବଳ ଏତିକି ନୁହେଁ ସଂଘର ଜଣେ ପୁରୁଣା ସଦସ୍ୟ ତଥା ପୂର୍ବତନ ମହାମନ୍ତ୍ରୀ ପଂଚାନନ ରାଉତଙ୍କୁ ଭଣ୍ଡାରୀପୋଖରୀ ଆସନରୁ ଟିକେଟ ଦିଆଯ଼ାଇନାହିଁ । ଏ ସମସ୍ତେ ଟିକେଟ କଟିବାକୁ ନେଇ ସିଧାସଳଖ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରିଛନ୍ତି ।

ଏହାକୁ ନେଇ ସଂଘ ବେଶ କ୍ଷୁବଧ ହୋଇଛି । ସଂଘ ନେତାମାନେ ଏହି ମାମଲାକୁ ବିଜେପି ସଂଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କ ନିକଟରେ ଉଠାଇବାକୁ ଯ଼ୋଜନା କରୁଥିବା ଜଣାଯ଼ାଇଛି ।

Leave A Reply

Your email address will not be published.