ଭୁବନେଶୱର – ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବଂ ତାଙ୍କ ଧର୍ମପତ୍ନୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ରାଜ୍ୟପାଳ ନିଜେ ଏ ସଂପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତାଙ୍କ ସହ ନିକଟରେ ସଂପର୍କରେ ଆସିଥିବା ଲୋକମାନଙ୍କୁ କୋଭିଡ୍ ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରିଛନ୍ତି।
ଇତିମଧ୍ୟରେ ରାଜ୍ୟପାଳ ଓ ତାଙ୍କ ପରିବାର ସଦସ୍ୟମାନଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳ କରୋନା ଆକ୍ରାନ୍ତ ହୋଇଥିବା ନେଇ ଚିନ୍ତାବ୍ୟକ୍ତ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟପାଳଙ୍କ ସହ କଥାହେବା ସହ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ କାମନା କରିଛନ୍ତି।